କର୍ମ


ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି । ବରଂ କୁଆଡୁ କେମିତି ଧନ ଆସି ତାଙ୍କ ଭଣ୍ଡାର ପୂରିବ, ଦିନରାତି ସେ ଖାଲି ଏଇ ଚିନ୍ତାରେ ଥାଆନ୍ତି । ଥରେ ଜଣେ ସାଧୁ ଆସିଥାନ୍ତି ସେଇ ଗ୍ରାମକୁ । ସେ ଦାନ-ଧର୍ମ, ଜୀବନର ସାର୍ଥକତା ସଂପର୍କରେ ପ୍ରବଚନ ଦେଉଥାନ୍ତି । ଧନୀଲୋକଟିର ମନ ନଥିଲେ ମଧ୍ୟ ଅନ୍ୟମାନେ ତାଙ୍କୁ ବାଧ୍ୟକରି ଡାକି ନେବାରୁ ସେ ଯାଇ ପ୍ରବଚନ ଶୁଣିଲେ |
ସାଧୁ ମହାତ୍ମା କହିଲେ ମଣିଷ ଜୀବନ ଅଳୀକ, ଅସାର । ମହତ୍ କର୍ମ ହିଁ ମଣିଷ ଜୀବନକୁ ଧନ୍ୟ କରେ । ଦାନଧର୍ମ ଦ୍ୱାରା ମଣିଷ ପୁଣ୍ୟ ଅର୍ଜନକରେ । ପୂଜାର୍ଚ୍ଚନା, ଧ୍ୟାନ ମାଧ୍ୟମରେ ଶାନ୍ତି ପାଏ । ଉପଯୁକ୍ତ ଖାଦ୍ୟଖାଇ ଗୁଡାଏ ଧନ ସମ୍ପତ୍ତି ଠୁଳ କରି ବିଳାସ ବ୍ୟସନରେ ଜୀବନ କଟାଇଲେ ଜୀବନର ସାର୍ଥକତା ମିଳେନାହିଁ । ବରଂ ଏ ନଶ୍ୱର ଦୁନିଆଁରେ ଯିଏ ସରଳ ନିରାଡମ୍ବର ଭାବରେ ଚଳି ଦାନ, ଧର୍ମ, ପୂଜା, ଧ୍ୟାନ ମଧ୍ୟରେ ନିଜକୁ ଆବଦ୍ଧକରି ରଖେ ଶେଷରେ ସେ ହିଁ ପ୍ରଭୁଙ୍କର ଅତି ପ୍ରିୟଜନ ହୋଇପାରେ । ସାଧୁଙ୍କର ଏଭଳି କଥା ସେ ଧନୀ ଲୋକଟିର ମନରେ ବେଶ୍ ପ୍ରଭାବ ପକାଇଲା । ତା’ପରେ ସାଧୁ ଚାଲିଗଲେ ।
କିଛିଦିନପରେ ସେ ଧନୀ ଲୋକଜଣକ ତାଙ୍କ ଗାଁ ମୁଣ୍ଡରେ ଏକ ମନ୍ଦିର ତିଆରି କରିବା ପାଇଁ କାମ ଆରମ୍ଭ କଲେ । ଲୋକଙ୍କୁ ଲଗାଇ ଏକ ଶିବ ମନ୍ଦିର ତିଆରି କରାଇଲେ ଖୁବ୍ ଅଳ୍ପଦିନ ମଧ୍ୟରେ । ଆଉ ସେ ମନ୍ଦିର ପାଖରେ ଏକ ପୋଖରୀ ବି ଖୋଳାଇଲେ । କିଛି ଗଛ ମଧ୍ୟ ଲଗାଇଲେ । ତାଙ୍କର ଏପ୍ରକାର କାମ ଦେଖି ଗାଁ ଲୋକେ ଏବଂ ତା’ଆଖପାଖ ଗାଁର ଲୋକେ ଖାଲି ଧନ୍ୟ ଧନ୍ୟ କହିଲେ । କାହିଁକିନା ସେ ଅଂଚଳରେ ମନ୍ଦିର ନଥିବାରୁ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ । ଏବେ ମନ୍ଦିର ତିଆରି ହେବାରୁ ସମସ୍ତେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ସେ ଧନୀ ଲୋକଟିକୁ ଖୁବ୍ ପ୍ରଶଂସା କଲେ । ଏଣେ ସେ ଧନୀ ଲୋକଟି ମଧ୍ୟ ନିଜକୁ ଖୁବ୍ ଧାର୍ମିକ ବୋଲି ଭାବିନେଲେ ।
ସେ ମନ୍ଦିରରେ ପୂଜା କରିବା ସକାଶେ ଜଣେ ବ୍ରାହ୍ମଣକୁ ନିଯୁକ୍ତ କଲେ । ତାଙ୍କ ପାଇଁ ମାସିକ ବେତନ ଏବଂ ରହିବା, ଖାଇବା ବ୍ୟବସ୍ଥା ବି କରିଦେଲେ । ସେ ଧନୀ ଲୋକ ନିଜେ କିନ୍ତୁ ଦିନେ ହେଲେ କେବେ ବି ମନ୍ଦିରକୁ ଯାଆନ୍ତି ନାହିଁ କିମ୍ବା ପୂଜା କରନ୍ତି ନାହିଁ । ଧ୍ୟାନରେ ବସିବାକୁ ତାଙ୍କର ସମୟ ନାହିଁ? ଦିନରାତି ତ ତାଙ୍କର କେବଳ ବ୍ୟବସାୟ ଟଙ୍କା ପଇସାର ହିସାବକୁ ନେଇ ବିତିଯାଏ । ମଝିରେ ମଝିରେ ମନ୍ଦିର ପାଇଁ ଯାହା ଖର୍ଚ୍ଚ ଦରକାର ହୁଏ ସେ ଦିଅନ୍ତି ।
କିଛି ବର୍ଷପରେ ସେଇ ସାଧୁ ପୁଣି ଗାଆଁକୁ ଆସିଲେ । ମନ୍ଦିରରେ ଅବସ୍ଥାନ କଲେ । ପ୍ରବଚନ ଦେଲେ । ଧନୀ ଲୋକଟି ସାଧୁଙ୍କୁ ନିଜ ଘରକୁ ଡାକି କହିଲେ, “ମହାପ୍ରଭୁ! ଆପଣଙ୍କ କଥା ଅନୁସାରେ ମୁଁ ମନ୍ଦିର ତୋଳି ଦେଇଛି । ପୂଜାରୀ ଖଞ୍ଜି ଦେଇଛି । ଏପରିକି ମନ୍ଦିରର ସବୁ ଖର୍ଚ୍ଚ ବି ବୁଝୁଛି । ଏବେ କୁହନ୍ତୁ, ମୋତେ ପୂଣ୍ୟଫଳ, ମିଳିବ କି ନାହିଁ? ମୁଁ ଧାର୍ମିକ ବୋଲି ଲୋକେ କହିବେ କି ନାହିଁ? ସବୁ ଶୁଣି ସେ ସାଧୁ କହିଲେ, ନା, ମହାଶୟ! ଆପଣ ମନ୍ଦିର ତିଆରି କରିଛନ୍ତି, ଏହା ତ ଏକ ମହତ କାମ । ଏଥିପାଇଁ ଲୋକେ ଆପଣଙ୍କୁ ମନେ ରଖିବେ । କିନ୍ତୁ ଆପଣ ତ ନିଜେ ପୂଜା କରୁ ନାହାଁନ୍ତି । ମନ୍ଦିର ବି ଯାଉ ନାହାଁନ୍ତି । ଦେବତାଙ୍କ ଦର୍ଶନ କରୁନାହାଁନ୍ତି । ନାମ ସଂକୀର୍ତ୍ତନ କରୁ ନାହାଁନ୍ତି, ଏଣୁ ପୁଣ୍ୟଫଳ ପାଇବେ ବା କିପରି? କର୍ମଘେନି ଫଳ ମିଳେ । ଯେ ଯେମିତି କର୍ମ କରେ ସେ ସେଇ ଅନୁସାରେ ଫଳପାଏ । ଭଲ କର୍ମର ଭଲଫଳ । ମନ୍ଦ କର୍ମର ମନ୍ଦଫଳ । 
ଆପଣଙ୍କ ପୁଅ ପାଠ ପଢୁଛି । ପରିକ୍ଷାରେ ନଲେଖି ସେ ପାଶ୍ କରିବ କିପରି? ଆପଣଙ୍କ ଚାକର ପୁଅକୁ ପ୍ରତି ଦିନ ସ୍କୁଲକୁ ନେଉଛି ଏବଂ ଆଣୁଛି । ତାକୁ ଆପଣ ଦରମା ଦେଉଛନ୍ତି । ଏଣୁ ପୁଅକୁ ସ୍କୁଲକୁ ନପଠାଇ ଚାକରକୁ ପଠାଇ ଦେଲେ କ’ଣ ଆପଣଙ୍କ ପୁଅର ଜ୍ଞାନ ବଢିଯିବ? ମନ୍ଦିର ଆପଣ ତୋଳିଛନ୍ତି । ପୂଜାରୀ ରଖିଛନ୍ତି, ତାକୁ ଦରମା ଦେଉଛନ୍ତି । ପୂଜାରୀ ନିଜେ ପୂଜା କରୁଛି । ସେ ନିତି ନିତି ଦେବତାଙ୍କ ଦର୍ଶନ କରୁଛି । ଧ୍ୟାନରେ ବସୁଛି । ମନ୍ତ୍ରଜପ କରୁଛି । ତା ପୂଜା, ଧ୍ୟାନ, ଜପର ଫଳ କେବଳ ତାକୁହିଁ ମିଳୁଛି, ଆପଣଙ୍କୁ ନୁହେଁ ।
ସାଧୁଙ୍କ ଏଭଳି କଥା ଶୁଣି ହଠାତ୍ ସେ ଧନୀ ଲୋକ ଜଣକର ସବୁ ଗର୍ବ ଅହଂକାର ନିମିଷକେ କୁଆଡେ ଉଭେଇଗଲା । ତହୁଁ ସେ ଧନୀ ଲୋକ ସାଧୁଙ୍କର ଗୋଡତଳେ ପଡି କ୍ଷମା ମାଗିଲେ ଏବଂ କହିଲେ, “ମୁଁ ମୋର ଭୁଲ୍ ଆଜି ବୁଝିପାରିଛି । ମୁଁ ନିଜକୁ ଧାର୍ମିକ ଏବଂ ସବୁ ପୂଣ୍ୟଫଳ ମୋତେ ମିଳୁଛି ବୋଲି ଭାବୁଥିଲି । ମନେ ମନେ ଖୁସି ହେଉଥିଲି ଯେ ମୋତେ ନିଶ୍ଚିତ ବୈକୁଣ୍ଠରେ ସ୍ଥାନ ମିଳିବ । ମାତ୍ର ଏସବୁ ମୋର ଗର୍ବ, ଅହଂକାର 
ଥିଲା । ଆପଣ ମହାନ୍ । ମୋତେ ସଦ୍ ବୁଦ୍ଧି ଦେଇଛନ୍ତି ।ସେଇଦିନଠୁ ଧନୀ ଜଣକ ପ୍ରତିଦିନ ମନ୍ଦିରକୁ ଗଲେ । ଠାକୁର ଦର୍ଶନ କଲେ । ନିଜେ ପୂଜା କଲେ । ଦାନଧର୍ମ କଲେ ଏବଂ ନିଜ ଜୀବନକୁ ସାର୍ଥକ ବି କଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍।

0/Post a Comment/Comments

Stay Conneted

Domain