କୁହୁକ ହାଣ୍ଡି




ଅନେକ ବର୍ଷ ତଳର କଥା । ଗରିବ କୃଷକଟିଏ ଥାଏ । ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ ସାତଟି ରୁଟି ଗୋଟିଏ ପୁଡିଆରେ ନେଇଥାଏ । ସେଥିପାଇଁ ସମସ୍ତେ ତାକୁ ଡାକୁଥା’ନ୍ତି ‘ରୁଟିଖିଆ’ ।
ଦିନେ ସେ କୃଷକ ବିଲରେ କାମ କରୁଛି, ହଠାତ୍ ତାକୁ ଭାରି ଭୋକ ହେଲା । ତେଣୁ ସେ  ରୁଟିତକ ପୁଡିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ଗଣିସାରି ମନକୁ ମନ କୃଷକ କହିଲା, ‘ବର୍ତ୍ତମାନ ମୁଁ ସବୁଗୁଡିକ ଖାଇବି ।’ ସେ କୃଷକଟି ଯେଉଁଠି ବସିଥିଲା, ତା’ ପାଖରେ ଥାଏ ଗୁମ୍ଫାଟିଏ । ଆଉ ସେହି ଗୁମ୍ଫା ଭିତରେ ରହୁଥାଏ ଏକ ଅସୁର । ସେ ଅସୁରର ସାତଟି ଛୁଆ ଥାଆନ୍ତି । ଏ କୃଷକର କଥା ଶୁଣି ସେ ଅସୁର ଭାବିଲା, କୃଷକ ବୋଧେ ତା’ର ସାତଟି ଛୁଆଙ୍କୁ ଖାଇଦେବ ବୋଲି କହୁଛି । ତେଣୁ ସେ ଅସୁର ଗୁମ୍ଫା ବାହାରକୁ ଆସି କୃଷକକୁ କହିଲା, ‘ଦୟାକରି ମୋ ଛୁଆମାନଙ୍କୁ ଖା’ ନାହିଁ । ମୁଁ ତୋତେ ଗୋଟିଏ କୁହୁକ ହାଣ୍ଡି ଦେବି । ଫଳରେ ତୁ ଯେତେବେଳେ ଚାହିଁବୁ, ସେ ହାଣ୍ଡି କ୍ଷୀରରେ ପୂର୍ଣ୍ଣ ହୋଇଯିବ ।’
ଅସୁର ସତ କହୁଛି କି ନାହିଁ ଜାଣିବାକୁ କୃଷକ ହାଣ୍ଡିକୁ କହିଲା, ‘ମୋତେ କ୍ଷୀର ଦେ ।’ ଆଖିପିଛୁଳାକେ ହାଣ୍ଡିଟା ସଙ୍ଗେ ସଙ୍ଗେ କ୍ଷୀରରେ ପୂର୍ଣ୍ଣ ହୋଇଗଲା ।
ରାତି ହେବାରୁ ସେ କୃଷକଟି ତା’ ବିଲଠାରୁ ଅଳ୍ପ ଦୂରରେ ରହୁଥିବା ମାଉସୀ ଘରେ ଯାଇ ପହଁଚିଲା । ମାଉସୀକୁ କୁହୁକ ହାଣ୍ଡି କଥା କହିଲା । ରାତିରେ ସେ କୃଷକଟି ତା’ ମାଉସୀ ଘରେ ରହିଲା । ଏଣେ ମାଉସୀ କ’ଣ କଲାନା କୃଷକଟି ଶୋଇଥିବା ସମୟରେ ତା’ କୁହୁକ ହାଣ୍ଡି ନେଇ ଆଉ ଗୋଟିଏ ହାଣ୍ଡି ତା’ପାଖରେ ରଖିଦେଲା । ଫଳରେ ସେ କୃଷକ ଏହା ମୋଟେ ଜାଣି ପାରିଲା ନାହିଁ । ସକାଳ ହେଲାରୁ ମାଉସୀର ହାଣ୍ଡିଟା ଧରି ସେ କୃଷକ ତା’ଘରକୁ ଫେରିଲା ।
ତା’ପରଦିନ କୃଷକ ପୁଣି ବିଲକୁ ଗଲା । ଭୋକ ହେଲାରୁ ପୁଡିଆରୁ ରୁଟି କାଢି ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ମନକୁ ମନ କହିଲା, ‘ବର୍ତ୍ତମାନ ମୁଁ ସବୁଗୁଡିକ ଖାଇବି ।’ ଅସୁର ତ ଏକଥା ଶୁଣି ଡରରେ ଛାନିଆ । ସେ ଗୁମ୍ଫା ବାହାରକୁ ଆସି କହିଲା, ‘ମୋ ଛୁଆମାନଙ୍କୁ ଛାଡିଦେ । ମୁଁ ତୋତେ ଗୋଟିଏ କୁହୁକ ଛେଳି ଦେବି । ତୁ ଯେତେବେଳେ ଚାହିଁବୁ, ସେ ଛେଳି ତୋତେ ସୁନା ଲଣ୍ଡି ଦେବ ।’
କୃଷକ ସଙ୍ଗେ ସଙ୍ଗେ ଛେଳିକୁ କହିଲା, ‘ମୋତେ ସୁନା ଲଣ୍ଡି ଦେ ।’ ଛେଳି ବି ତତ୍କ୍ଷଣି ସେଇଆ କଲା ।
ରାତି ହେବାରୁ କୃଷକ ପୁଣି ତା’ ମାଉସୀ ଘରେ ଯାଇ ରହିଲା । ମାଉସୀକୁ କୁହୁକ ଛେଳି କଥା କହିଲା । ମାଉସୀ କ’ଣ କଲାକି କୃଷକ ନିଦରେ ଶୋଇପଡିବା ପରେ କୁହୁକ ଛେଳିଟା ନେଇଯାଇ ତା’ ଯାଗାରେ ଆଉ ଗୋଟାଏ ସାଧାରଣ ଛେଳି ରଖିଦେଲା । ଫଳରେ ସେ କୃଷକ ଏକଥା ଆଦୌ ଜାଣିପାରିଲା ନାହିଁ । ସକାଳୁ ସେ କୃଷକ ତା’ ମାଉସୀର ଛେଳିଟା ଧରି ଘରକୁ ଫେରିଲା ।
ତା’ପରଦିନ ପୁଣି ସେଇଆ ହେଲା । କୃଷକ ପୁଡିଆ ଖୋଲି ରୁଟିତକ ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ଅସୁର ଏହା ଶୁଣି ଡରରେ ଛାନିଆ । ଗୁମ୍ଫା ବାହାରକୁ ଆସି କହିଲା, ‘ଦୟାକରି ମୋ ଛୁଆମାନଙ୍କୁ ଛାଡି ଦେ । ମୁଁ ତୋତେ ଗୋଟିଏ କୁହୁକ ବାଡି ଦେବି । ତୁ ଆଦେଶ ଦେଲେ ଏ ବାଡି ତୁ ଯାହାକୁ ଚାହିଁବୁ ତାକୁ ମାଡ ଦେବ ।’ କୃଷକ ସେ ବାଡିଟିକୁ ସାଙ୍ଗରେ ଆଣିଲା ।
ରାତି ହେବାରୁ ପୁଣି ସେ କୃଷକ ତା’ ମାଉସୀ ଘରେ ରହିଲା । ଶୋଇଲାବେଳେ ବାଡିଟିକୁ ପାଖରେ ରଖିଥାଏ । ମାଉସୀ ଆସି ବାଡିଟି ନେଲାବେଳେ କେଜାଣି କେମିତି କୃଷକର ନିଦ ଭାଙ୍ଗିଗଲା । ସେ ଭାବିଲା, କିଏ ଜଣେ ବୋଧେ ତା’ ବାଡି ଚୋରାଇ ନେଉଛି । ତେଣୁ ସେ ଆଦେଶ ଦେଲା, ‘ଏ ଲୋକଟାକୁ ମାଡ ଦେ ।’ ବାଡିସଙ୍ଗେ ସଙ୍ଗେ ମାଉସୀ ଉପରେ ମାଡ କଷିବାକୁ ଲାଗିଲା । ମାଉସୀ କାନ୍ଦି କାନ୍ଦି ଶେଷରେ କହିଲା, ‘ମୁଁ ତୋ କୁହୁକ ହାଣ୍ଡି ଓ କୁହୁକ ଛେଳି ନେଇଛି । ଏହିକ୍ଷଣି ତୋତେ ଫେରାଇ ଦେଉଛି ।
କୃଷକ ସେ ଅସୁର ଦେଇଥିବା କୁହୁକ ହାଣ୍ଡି, କୁହୁକ ଛେଳି ଓ କୁହୁକ ବାଡି ଧରି ଘରକୁ ଫେରିଲା । ଏହାପରେ ସେ ଅତି ଆନନ୍ଦରେ ରହିଲା ।

0/Post a Comment/Comments

Stay Conneted

Domain